Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
’ବାୟା ଚଢ଼େଇର ବସା ଓ ଅନ୍ୟାନ୍ୟ ଗଳ୍ପ’ ସଂକଳନରେ ୧୯ଟି କ୍ଷୁଦ୍ରଗଳ୍ପ ଲେଖିସାରିବା ପରେ ମୋତେ ଅନୁଭବ ହେଲା ମୋ ଭିତରେ ସବୁ କାହାଣୀ ଶେଷ ହୋଇଯାଇଛି। କାହାଣୀ ବାକି ନାହିଁ ଆଉ କିଛି ଲେଖିବାକୁ। ଦିନେ ରୁଚିତା ମିଶ୍ର ଆସିଥିଲା, ମୋତେ କହିଲା ତା’ କାହାଣୀ ଲେଖିଦେବାକୁ। ମୁଁ ପ୍ରଥମେ ଶୁଣିବାକୁ ବି ପ୍ରସ୍ତୁତ ନଥିଲି। ସେ କାହାଣୀ ପ୍ରତ୍ୟେକ ସୋପାନକୁ ଏମିତି କହିବା ଆରମ୍ଭ କଲା ଯେ ମୁଁ ଆଡ଼େଇ ଯାଇପାରିଲି ନାହିଁ। ମୁଁ ଭାବିଲି ରୁଚିତା ମିଶ୍ର ନାଁରେ ଗଳ୍ପଟିଏ ଲେଖାଯାଇପାରେ। ସେ ଗଳ୍ପରେ ତା’ ଜୀବନର କାହାଣୀ ବୋହିଚାଲିଲା ଏକ ଅମାନିଆ ସୁଅ ଭଳି। ଯେତେ ବାଧା ଦେଲେ ବି ଏ କାହାଣୀ ଅଥୟ। କାହିଁକି ଅଥୟ ସେକଥା କାହାଣୀ ପଢ଼ିଲେ ନିଶ୍ଚୟ ବୁଝିଯିବେ। ମୁଁ ଲେଖିଲି ତା’ ଜୀବନର ଅବ୍ୟକ୍ତ ଅଧ୍ୟାୟ। ପୃଷ୍ଠା ପରେ ପୃଷ୍ଠା ଦିନକୁ ଦିନ ଯୋଡ଼ିଚାଲିଲି। ପରେ ଅନୁଭବ କଲି ଏ କାହାଣୀ ଖୁବ୍ ଦୀର୍ଘ। ରୁଚିତା ମିଶ୍ର ବି କହିଲା ତୁମେ ଏ କାହାଣୀ କଲମରେ ସାରିପାରିବ ନାହିଁ। ମୁଁ ହସି କହିଲି, ଏଠି ପ୍ରତ୍ୟେକ ଝିଅର କାହାଣୀକୁ କଲମରେ କ’ଣ ଲେଖାଯାଇପାରେ! ସତ କହୁଛି, ଯେତେ ଲେଖିଲେ ବି ମୁଁ ରୁଚିତା ମିଶ୍ରକୁ ସନ୍ତୁଷ୍ଟ କରିପାରିଲି ନାହିଁ। ବୋଧେ କରିପାରିବି ନାହିଁ ଏ ଜନ୍ମରେ। କିନ୍ତୁ ଜନ୍ମ ଦେଇଛି ଉପନ୍ୟାସ ’ପର ପୁରୁଷ’କୁ। ଏ କାହାଣୀ ଉପନ୍ୟାସ ହୋଇ ଆସିବା ଯେତିକି ଆଚମ୍ବିତ କଥା ନୁହେଁ, ତା’ଠୁ ଅଧିକ ଆଶ୍ଚର୍ୟ୍ୟ କଥା ହେଲା ରୁଚିତା ମିଶ୍ର ଛଦ୍ମବେଶରେ କାହାଣୀ କହୁଥିବା ନାରୀଟି ଆମ ସମାଜରେ ବଞ୍ଚିଥିବା ଯେକୌଣସି ସାଧାରଣ ନାରୀର କାହାଣୀ। ସେକଥା ଅବଶ୍ୟ ଆପଣମାନେ ବିଚାର କରିବେ।ଆଉ ଗୋଟିଏ କଥା ଏଠାରେ ଗୁରୁତ୍ୱପୂର୍ଣ୍ଣ। ନୂଆକରି କଲମ ଧରିବାବେଳେ ଗପଟିଏ ଲେଖିବାକୁ ସାହସ କରିପାରୁନଥିବା ଝିଅଟିଏ ଦିନେ ଉପନ୍ୟାସ ଲେଖିବାକୁ ମନ ବଳେଇବାର କାରଣ କ’ଣ? କାହାଣୀରେ କେତେ ଝୁଣ୍ଟିଛି, କେତେ ଫୁଟିଛି ରୁଚିତା ମିଶ୍ର, ଏ କାହାଣୀ କେତେ କୋଳେଇବ ସେକଥା ଆପଣମାନେ ହିଁ କଳିବେ। - ବୀଣାପାଣି ପ୍ରଧାନ