Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଗୌତମ ଜେନାଙ୍କ ’ସମୟ ବିଷାଦ ନଈ’ ଏକ ଉଚ୍ଚାଙ୍ଗ କାବ୍ୟ ସୃଷ୍ଟି । ଆଧୁନିକ ଓଡ଼ିଆ କବିତାର କ୍ଲାସିକ୍ ଗ୍ରନ୍ଥ ରୂପେ ଏହାକୁ ବିବେଚନା କରାଯାଇପାରେ । କାବ୍ୟ ନାୟିକା ଗୌତମୀକୁ କେନ୍ଦ୍ରରେ ରଖି କବି ପ୍ରେମ, ପ୍ରଣୟ ଓ ଅକୁଣ୍ଠ ଭଲପାଇବାର ଏକ ଚିପୁଡ଼ା ଲୋଡ଼ିବାପଣକୁ ବ୍ୟକ୍ତିଗତ ଅନୁଚିନ୍ତନର ଗଭୀରତାରେ ଆକଳନ କରି ସର୍ବଜନ ଚେତନାର ମଂଜରେ ଏହାକୁ ନିମଗ୍ନ କରାଇ ଅଛନ୍ତି । ଯେଉଁଠି କାବ୍ୟ ନାୟକ କବିସତ୍ତା ଉପରେ ସବାର ହୋଇ ଆମ ନିତିଦିନିଆ ଜୀବନର ଏକ ପ୍ରତିନିଧି ପାଲଟି ଯାଇଛି । କାବ୍ୟ ନାୟିକା ଗୌତମୀ କବିର ପ୍ରେମିକା ନୁହେଁ ବରଂ ପ୍ରତିଟି ପ୍ରେମପଣର ଏକ ଅନ୍ତହୀନ ଆଲୋଡ଼ନ । ଦେହଠାରୁ ଦେହାତୀତର ଏକ ଐନ୍ଦ୍ରଜାଲିକ କେନ୍ଦ୍ରବିନ୍ଦୁରେ ତା’ର ପରିକଳ୍ପନା । ପ୍ରେମରେ ଜୀଇଁବା, ପୁଣି ପ୍ରେମରେ ହୃଦୟ ଦେଇ ମରିବା ଏଠି ବଡ଼କଥା । ଆମ କାବ୍ୟ ପରଂପରାରେ କବି ଜୟଦେବଙ୍କ ଅନୁଚିନ୍ତନ ଧାରାଟି ଆଳଙ୍କାରିକ କାବ୍ୟ ଯୁଗରେ ରାଧାକୃଷ୍ଣଙ୍କୁ ଉପଜୀବ୍ୟ କରି ଯେଉଁ ପରକୀୟା ପ୍ରୀତିର ପରିକଳ୍ପନା କରିଥିଲା ଏବଂ ପ୍ରେମର ଶ୍ରେଷ୍ଠତ୍ୱ ତହିଁରେ ଆରୋପିତ କରିବାର ପ୍ରଚେଷ୍ଟା କରିଥିଲା କବି ଗୌତମ ଜେନାଙ୍କ ’ସମୟ ବିଷାଦ ନଈ’ କିନ୍ତୁ ସେ ଧାରାକୁ ଗ୍ରହଣ କରିନାହିଁ । ବରଂ ଏକ ମାନସିକ ଚିନ୍ତନରେ ଦେହକୁ ସ୍ୱୀକାର କରି ଆହୁରି ଗଭୀରତାକୁ ସ୍ପର୍ଶ କରିଛି । କବି ପରକୀୟାଠାରୁ ସ୍ୱକୀୟା, ଯୌନ ଜାଂଗଳିକତାଠାରୁ ଏକ ଚେତନ ଚିନ୍ତନରେ ପ୍ରେମକୁ କେନ୍ଦ୍ରିଭୂତ କରାଇ ସର୍ବଜନ ଭାବପଣରେ ତାକୁ ଛାଡ଼ି ଦେଇଛନ୍ତି ’ସମୟ ବିଷାଦ ନଈ’ର କବିତାଗୁଡ଼ିକରେ, ଯାହା କାଳଠାରୁ ବହୁ ଊର୍ଦ୍ଧ୍ୱରେ । ଝୁରି ହେବା ଏଠି ବଡ଼ କଥା ନୁହେଁ, ବଡ଼ କଥା ହେଉଛି କାବ୍ୟ ନାୟକର ଏକ ଅହେତୁକ ଲୋଡ଼ିବାପଣ । ଆମ କାବ୍ୟ ପରଂପରାରେ ଏକ ନୂଆ ଚିନ୍ତନ ’ସମୟ ବିଷାଦ ନଈ’ ଚିହ୍ନରା ପାଠକମାନଙ୍କୁ ନିଶ୍ଚୟ ଛୁଇଁବ ବୋଲି ଆଶା ।