Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
କବି ଗୌତମ ଜେନା ଚଳିତ ସମୟ ଖଣ୍ଡର ଜଣେ ପ୍ରଥିତଯଶା କବି। ଦୀର୍ଘ ପଚାଶବର୍ଷର ସାରସ୍ୱତ ସାଧନା ଭିତରେ ତାଙ୍କର ପ୍ରକାଶ ପାଇଛି ଚଉଦ ଖଣ୍ଡ କବିତା ପୁସ୍ତକ। ୧୯୭୬ ମସିହାଠାରୁ ତାଙ୍କର କବିତା ଓଡ଼ିଶାର ସମସ୍ତ ସଂଭ୍ରାନ୍ତ ପତ୍ର/ପତ୍ରିକାମାନଙ୍କରେ ପ୍ରକାଶିତ ହୋଇ ଆସୁଛି ଓ ସେ ପାଠକୀୟ ମହଲରେ ମଧ୍ୟ ବହୁ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଉତ୍ତରଅଶୀ ଓଡ଼ିଆ କବିତାକୁ ସେ ଦେଇଛନ୍ତି ନୂଆ ରୂପ ଓ ଭାବରେ ଆଣିପାରିଛନ୍ତି ପରିବର୍ତ୍ତନ। ସ୍ୱାଧୀନତା ପରବର୍ତ୍ତୀ ଅବସ୍ଥାରେ ଓଡ଼ିଆ କବିତାରେ ଯେଉଁ ’ଔପନିବେଶବାଦୀ ଚେତନା’ ପରିଲକ୍ଷିତ ହୋଇଥିଲା, ତହିଁରୁ ସେ ମୁକ୍ତ। ସାମାଜିକ ଜୀବନର ପରିବର୍ତ୍ତନ ନାଁରେ ଅବକ୍ଷୟ, ବିଚ୍ଛିନ୍ନତାବୋଧ, ଏକାକୀତ୍ୱ, ଠିକଣାହୀନ ମଣିଷ, ନିରାଶା, ଦେହବାଦୀ ଚେତନା ଓ ଆଧ୍ୟାତ୍ମିକ ନିଃସଂଗତାରୁ ଦୂରରେ ରହି ସେ ତାଙ୍କ କବିତାରେ ଆଂକି ପାରିଛନ୍ତି ଏ ମାଟି, ପାଣି, ପବନ ଓ ଜୀବନର ଛବି। ସବୁଠି ସେ ଖୋଜିଛନ୍ତି ଆଶା, ବିଶ୍ୱାସ ତଥା ପ୍ରେମ। ତାଙ୍କ ଜୀବନ ଯଂତ୍ରଣାରେ ନାହିଁ କାରୁଣ୍ୟ, ଅଛି ଜୀବନର ମାଦକତା, ଖୋଜିବା ପାଇଁ ପ୍ରେରଣା। ତାଙ୍କ କବିତାର ଆତ୍ମିକ ସ୍ୱରରେ ଅଛି ଅନ୍ୱେଷଣ, ନାହିଁ ଯଂତ୍ରଣାଜର୍ଜର ଆତ୍ମାର ସ୍ୱଗତୋକ୍ତି। ସେ ମୃତ୍ୟୁର ବର୍ଣ୍ଣବୋଧରେ, ବ୍ୟାକରଣରେ କାତର ନୁହଁନ୍ତି, ବରଂ ମୃତ୍ୟୁ ତାଙ୍କ ଲେଖନୀରେ ପାଇଛି କଳାତ୍ମକ ରୂପ, ଯେଉଁଠି ଅନ୍ତରାତ୍ମାରେ ମୃତ୍ୟୁର ବ୍ୟାପକତା ଭିତରେ ଜୀବନର ସୂକ୍ଷ୍ମ ରୂପ ପ୍ରକାଶିତ ହୋଇଥାଏ।