Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
’କାଳିଜହ୍ନ’ ମୋର ପ୍ରଥମ ଗଳ୍ପ ସଙ୍କଳନ। ଏଥିରେ ସ୍ଥାନୀତ ଷୋହଳଟି ଗଳ୍ପ ୧୧୯୫ରୁ ୨୦୨୫ ମସିହା ଅବଧିରେ ଲିଖିତ, ଯାହା ପାଠକମାନେ ଅନୁଭବ କରିପାରିବେ। କିଛି ଗଳ୍ପ ବିଭିନ୍ନ ସମୟରେ ’କଥା’, ’ସୁଚରିତା’, ’ପଞ୍ଚବଟୀ’, ’ପକ୍ଷୀଘର’ ଇତ୍ୟାଦି ଲୋକପ୍ରିୟ ପତ୍ରିକାମାନଙ୍କରେ ପ୍ରକାଶିତ ହେଇ ପାଠକୀୟ ପ୍ରଶଂସା ଲାଭ କରିଛି। ସେଥିପାଇଁ ମୁଁ ପାଠକ ଏବଂ ସଂପାଦକମାନଙ୍କ ନିକଟରେ କୃତଜ୍ଞ।ଯଦିଓ ’କାଳିଜହ୍ନ’ ଗଳ୍ପଟି ମୋର ପ୍ରଥମ ପ୍ରକାଶିତ ଗଳ୍ପ, ତେବେ ତାହା ମୋର ପ୍ରଥମ ଗଳ୍ପ ନୁହେଁ।’କାଳିଜହ୍ନ’ରେ ସ୍ଥାନୀତ ଗଳ୍ପମାନଙ୍କ ମଧ୍ୟରୁ କିଛି ଅଧା, ଚଉଠ ଲେଖା ହେଇ ରହିଥିଲେ। ସେମାନଙ୍କୁ ସାଉଁଟି ଆଣି ଆଜି ପାଠକମାନଙ୍କ ସାମ୍ନାରେ ଛିଡ଼ା କରିବାକୁ ପୁଣି ପରିବର୍ତ୍ତନ କରିଛି। ଯେମିତି ’ଧରାପଡ଼ିବାର ବେଳ’ ଗପଟି ଆଜିକୁ ତିରିଶ ବର୍ଷତଳେ ଲେଖିଥିଲି। କବିତା ପୁସ୍ତକ ପାଇଁ ଖୋଜାଖୋଜି ବେଳେ ତାକୁ ପୁରୁଣା ଫାଇଲ ଭିତରୁ ଖୋଜି ପାଇଲି। ସେ ସମୟରେ ଆୟକର ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ନାୟିକା ଟ୍ରେନ୍ରେ ଯାଉଥିଲା, କାରଣ ଭୁବନେଶ୍ୱରରୁ ପର୍ଯ୍ୟାପ୍ତ ବିମାନସେବା ନଥିଲା। କିନ୍ତୁ ବର୍ତ୍ତମାନ ପାଠକମାନଙ୍କ ସାମ୍ନାକୁ ଆଣିବାରୁ, ସମସ୍ତ ଘଟଣାକ୍ରମ ଟ୍ରେନ୍ ବଦଳରେ ଏୟାରପୋର୍ଟ ଏବଂ ବିମାନ ଭିତରେ ଘଟେଇବାକୁ ପଡ଼ିଛି।ମୁଁ ଗଳ୍ପ ଲେଖେ ଯେତେବେଳେ ସେ ଗଳ୍ପର ଚରିତ୍ରମାନେ ମତେ ବାଧ୍ୟ କରନ୍ତି ତାଙ୍କ କଥା ଲେଖିବା ପାଇଁ; ଅନୁବାଦ କରେ, ଅନ୍ୟ ଭାଷାରେ ଲେଖାଥିବା ଗଳ୍ପଟି ଯେତେବେଳେ ମନକୁ ଆଚ୍ଛନ୍ନ କରିପକାଏ; କବିତା ଲେଖେ, କାରଣ କବିତାର ଧାଡ଼ିମାନେ ନିଜେ ଲେଖିହେଇଯାନ୍ତି। କେବଳ କବିତା ଲେଖିବା ପାଇଁ ମୁଁ ଗୋଟିଏ ବି କବିତା ଲେଖିନାହିଁ। କେତେଗୁଡ଼ିଏ ଅଧାଲେଖା କବିତା ସାଇତି ରଖିପାରିନାହିଁ।ମୋ ଗଳ୍ପମାନେ ଯେ ଦିନେ ପ୍ରକାଶିତ ହେବେ ସେ ସ୍ୱପ୍ନ ମୁଁ କେବେ ବି ଦେଖିନଥିଲି। ଯେଉଁମାନେ ସେ ସ୍ୱପ୍ନ ମତେ ଦେଖାଇଛନ୍ତି ଏବଂ ସେ ସ୍ୱପ୍ନକୁ ସାକାର ରୂପ ଦେଇଛନ୍ତି, ଗଳ୍ପଗୁଡ଼ିକ ଯଦି ପ୍ରଶଂସା ଭାଜନ ହୁଅନ୍ତି, ତାର ଶ୍ରେୟ ସେମାନଙ୍କର।---ସଂଯୁକ୍ତା ନାୟକ, ଅନୁଭବ, ୩୭୮, ବରମୁଣ୍ଡା ଗାଁ, ଭୁବନେଶ୍ୱର-୭୫୧୦୦୩