ଉଦ୍ଦେଶ୍ୟହୀନ ଭାବେ ଗପ ଲେଖିବା ଝୁଙ୍କ ପିଲାଦିନୁ ଥିଲା । ସ୍କୁଲ ଜୀବନରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ପ୍ରକାଶିତ ମୀନାବଜାର ଦ୍ୱାରା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିଲି । ରେଭେନ୍ସା କଲେଜରେ ଛାତ୍ର ଥିଲାବେଳେ କିଛି ଲେଖା ’ରେଭେନ୍ସାଭିଆନ୍’ରେ ପ୍ରକାଶିତ ହୋଇଥିଲା ଯାହାର ଅନୁବାଦ ମନୋରଂଜନ ହୋତା କରିଥିଲେ ଓ ସେଗୁଡ଼ିକ ଦୈନିକ ଇଂରାଜୀ ସମ୍ବାଦପତ୍ର ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡରେ ପ୍ରକାଶିତ ହୋଇଥିଲା । ’ଦିଗନ୍ତ’, ’ଆସନ୍ତାକାଲି’, ’ରବିବାର ପ୍ରଜାତନ୍ତ୍ର’ରେ ମଧ୍ୟ କେତୋଟି ଲେଖା ସେ ସମୟରେ ପ୍ରକାଶିତ ହୋଇଥିଲା । ଦୁଃଖର ବିଷୟ ସେଗୁଡ଼ିକ ସାଇତି ରଖିବା କଥା କେବେ ମନକୁ ଛୁଇଁ ନଥିଲା । ଏମିତି ତ ବିଶୃଙ୍ଖଳ ଓ ତା’ ଉପରେ ବୃତ୍ତିର ବାଧ୍ୟବାଧକତାରେ ସେଗୁଡ଼ିକ ହଜିଗଲେ । ସେ କାଳର କେବଳ ଦୁଇ ତିନୋଟି ଗଳ୍ପ ଉଦ୍ଧାର କରିପାରିଥିଲି ଯାହା ଏ ବହିରେ ସନ୍ନିବେଶିତ । ବିଦେଶ ସେବାରେ ଥିଲାବେଳେ ଓଡ଼ିଆରେ କଥା କହିବା ଓ ଲେଖିବା ପାଇଁ ପରିବେଶ ନଥିଲା । ଆଜି ଭଳି ଯୋଗାଯୋଗର ନୂତନ ଟେକ୍ନୋଲୋଜି ନଥିଲା । କଲେଜରେ ପଢ଼ୁଥିବା ବେଳର ବନ୍ଧୁମାନଙ୍କ ପରାମର୍ଶରେ ଓଡ଼ିଆ କ୍ଷୁଦ୍ର ଗଳ୍ପ ଲେଖିବାରେ ପ୍ରଚେଷ୍ଟା କଲି । ପାଠକଙ୍କୁ ଭଲ ଲାଗିଲେ ଆନନ୍ଦିତ ହେବି ।- ଅବସର ବେଉରିଆ