Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ମନୋଜ ଦାସ ଏକ ସାରସ୍ୱତ ବିସ୍ମୟ। ଚେତନା ରୂପାନ୍ତରର ଏକ ସୃଜନୀ ଶିଳ୍ପୀ। କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ ସବୁ ବର୍ଗର ପାଠକ ପାଇଁ ମନୋଜଙ୍କ ଲିଖନୀରୁ ଝରିଛି ଅମୃତ। ଓଡ଼ିଆ ସାହିତ୍ୟରେ ନିଜ ସାଧନାର ବଳିଷ୍ଠ ସ୍ୱାକ୍ଷର ପାଇଁ ସମଗ୍ର ବିଶ୍ୱରେ ପରିଚିତ ଏଇ ଓଡ଼ିଆ ଶିଳ୍ପୀ। ଆଜୀବନ ନୈତିକ ଆଦର୍ଶ, ଭାରତୀୟ ସଂସ୍କୃତି ଓ ବୈଦିକ ବିଚାର ଉପରେ ପ୍ରତିଷ୍ଠିତ ମନୋଜୀୟ ସୃଜନୀ ସମ୍ଭାର ଯେତିକି ଉଦାତ୍ତ ଓ ଗମ୍ଭୀର, ସେତିକି ମାନବୀୟ ସଂବେଦନ ଓ ଚେତନାର ରୂପାନ୍ତରରେ ଶାଣିତ ଓ ପ୍ରଖର।ମନୋଜ ଦାସଙ୍କ ଗଳ୍ପ ଦିଗନ୍ତ ପରି ତାଙ୍କ ପ୍ରବନ୍ଧ ମାନସ ବି ଦିଗନ୍ତ ବିସ୍ତାରୀ। ସୌଭାଗ୍ୟର କଥା ମନୋଜଙ୍କ ପ୍ରବନ୍ଧକୁ ନେଇ ଏକ ପୂର୍ଣ୍ଣାଙ୍ଗ ଗବେଷଣା ଗ୍ରନ୍ଥ ପ୍ରକାଶ ପାଇବାକୁ ଯାଉଛି। ଧରଣୀଧର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପନା କରୁଥିବା ଡକ୍ଟର ଅଜୟ କୁମାର ସାହୁଙ୍କ ଏହା ବିଦ୍ୟାବାରିଧି ପାଇଁ ନିବନ୍ଧ ଗ୍ରନ୍ଥ ଯାହା ଏବେ ପୁସ୍ତକ ରୂପେ ପ୍ରକାଶ ପାଇବାକୁ ଯାଉଛି। ଡକ୍ଟର ସାହୁ ମନୋଜ ଦାସଙ୍କ ସମଗ୍ର ଗଦ୍ୟସୃଷ୍ଟି ଉପରେ ଗବେଷଣା କରି ମନୋଜୀୟ ଚେତନାର ବହୁବିଧ ଉପଲବ୍ଧିକୁ ପାଠକ ପାଇଁ ଅନାବରଣ କରିଛନ୍ତି। ଇତିହାସ , କିମ୍ବଦନ୍ତୀ, ପୁରାଣ, ବେଦ, ଉପନିଷଦ, ସଂସ୍କୃତି, ଆଧ୍ୟାତ୍ମିକତା ସବୁ ବିଶ୍ଳେଷଣ କରିଛନ୍ତି ଡକ୍ଟର ସାହୁ। କଳାତ୍ମକ ଦୃଷ୍ଟିରୁ ମନୋଜ ଦାସ ଗଳ୍ପ ଉପନ୍ୟାସରେ ଯେମିତି ଅତୁଳନୀୟ ପ୍ରବନ୍ଧରେ ବି ସେମିତି ଅବିସ୍ମରଣୀୟ। ଏପରି ସତ୍ୟକୁ ନିଜ ଆଲୋଚନା ଜରିଆରେ ଉନ୍ମୋଚିତ କରିବାରେ ସମର୍ଥ ଡଃ ସାହୁ। ଓଡ଼ିଆ ସାହିତ୍ୟରେ ଅସଂଖ୍ୟ ଛାତ୍ରଛାତ୍ରୀ ଅନୁସନ୍ଧିତ୍ସୁ ଗବେଷକମାନଙ୍କ ପାଇଁ 'ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ପ୍ରବନ୍ଧ ଓ ପ୍ରାବନ୍ଧିକ ମନୋଜ ଦାସ'ପୁସ୍ତକ ଏକ ଆଲୋକ ବର୍ତ୍ତିକା ହୋଇ ଉଭାହେବ। ମନୋଜୀୟ ସୃଜନ ରହସ୍ୟର ଗବେଷଣା ଓ ବିଶ୍ଳେଷଣ ସମୟରେ ପୁସ୍ତକଟି ନିଜର ଉପାଦେୟତା ପ୍ରମାଣିତ କରିପାରିବ।