Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଭ୍ରଷ୍ଟ ନ ହେଲେ ଶବ୍ଦ କି ଶବ୍ଦ ! ଶବ୍ଦପକ୍ଷୀ ପାଇଁ ଗଢା ହୋଇନାହିଁ ପଂଜୁରୀ ।ଶବ୍ଦ ନିରବ କିନ୍ତୁ ସ୍ଫୋଟ । ଅଂଧାରରେ ହିଁ ଚିତ୍ରଲୋକ ।କାଳ ଡାକୁଛି ଦୁଆରରେ, ଦେବାକୁ ହେବ ପାଉଣା ।ଏ ପୃଷ୍ଠାରେ ପୃଥିବୀ ବିଦୀର୍ଣ୍ଣ, ଆର ପୃଷ୍ଠାରେ ଇଂଦ୍ରଧନୁର ବର୍ଣ୍ଣିଳ ଆକାଶ ।ଚଉକାଠରେ କବି ଚିରକାଳ, ଦୁଆର ଏପଟେ ଗଭୀର ରାତିର ବିକଟାଳ ଧ୍ୱନି, ସେ ପଟେ ସମୁଦ୍ରର ଆଦିଗନ୍ତ ନିରବତା ।ଦ୍ୱାର ପାଖରେ ଲହ ଲହ ସ୍ପର୍ଶାତୁର ଯୋଗିନୀର ଜାନୁ । ନିରବତାର ଚିରାଂଶୁ କ୍ରୋଞ୍ଚ ପକ୍ଷୀକୁ ଓଟାରି ଆଣେ ନିଷାଦ ପରି ଶବାଧାରକୁ । ଦିଗନ୍ତ ବ୍ୟାପୀ ସୂକ୍ଷ୍ମତାରେ ଝଟକୁଥାଏ ଆଲୁଅ ଅଂଧାର । କେଉଁ ଅନାଗତ ଗର୍ଭାଶୟରେ ଉଦଗମିତ ହୁଏ କବିର ଭ୍ରୁଣ, କାଳ କାଳ ମହାକାଳ ଗଢୁଥାଏ ତାକୁ । ମଇଁଷି ରଙ୍ଗର ଛାଇ, ପାଦର ପାଉଁଜି, ଶିଖା ପରି ଦେହରେଣୁ, କିଏ ଗୋ ତୁ, ପଚାରେ କବି । ସ୍ତନାଗ୍ରରେ ତୋର, ମୋର ପୁରୁଷାର୍ଥର ପାପ, ଅକ୍ଷମତାର ଅମୃତ ।ଶୁଭୁଛି ରହି ରହି ସେ ଅନାଥିନୀ ବୁଢୀର କାନ୍ଦଣାର ଗୀତ, ସୁନ୍ଦର ଗୋଧୂଳି ।ସରିଗଲା ସବୁ ମଂତ୍ର, ଲିଭିଗଲା ହୋମାଗ୍ନି, ପ୍ରଜାପତିମାନେ ଅବୋଧ ରହିଗଲେ କବିତା, ମହାଶୂନ୍ୟ ନିରବତା, ଶୁଷ୍କପ୍ରାଣ ଆକୁଳତା, କବିତା କବିତା ।ଅପୂର୍ଣ୍ଣତାରେ ବହ୍ନିଥାଏ, ଥାଏ କବିତା, ଅହରହ ଝଟକୁଥାଏ ।ଅପୂର୍ଣ୍ଣତାର ବହ୍ନି ସୃଜେ କିଏ ?କୁହୁଡ଼ିରେ ଆସ୍ତରିତ କରେ କିଏ ଜୀବନର ମାନଚିତ୍ର ? କେତେ ପ୍ରେମରେ ଗଢିହୁଏ ପୃଥିବୀ ? ଆକାଶ କଣ ପ୍ରେମର ପରିସୀମା ?ସମୁଦ୍ରରେ ଲହଡ଼ି ଭାଙ୍ଗୁଥାଏ ଏକାକୀତ୍ୱ, ଆହା ! ପ୍ରଳୟ କେତେ ଏକଲା !ନିଷାଦର ନିଶାଣରେ କବି ଉଭା ଯେତିକି, ପୋତା ସେତିକି ।କବିତା ଭାଷିକ କଳାର ସାମ୍ରାଜ୍ଞୀ । ଏଇଥି ପାଇଁ ଯେ ଭିନ୍ନ ଭିନ୍ନ ଭାବକଳ୍ପର ଦୃଶ୍ୟାୟନ ସହିତ ଶବ୍ଦର ଧ୍ୱନିକଂପକୁ ସେ ସୂତ୍ରାୟିତ କରେ, ଏକ ଇ ଠା’ରେ । ପ୍ରେମ ହେଉ କି ବିଦ୍ରୋହ, ଯୁଦ୍ଧ ହେଉ କି ଅଧ୍ୟାତ୍ମ, କବିତାକୁ ମଂତ୍ରାୟିତ କରେ ତା’ର ଶାବ୍ଦିକ ସ୍ପଂଦନ ।କବିତା ପ୍ରତି ଏତକ ବୋଧ ନେଇ ମୁଁ ପଢେ ଶ୍ରୀ ରାଜୀବ ପାଣିଙ୍କୁ, ପ୍ରାର୍ଥନା କରିବି ଆପଣ ବି ପଢନ୍ତୁ ।ତାଙ୍କ କବିତା କେବଳ କବିତା ନୁହେଁ , ମଂତ୍ର ।