Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଛବି ପରି ଏକ ଚମତ୍କାର ଗାଆଁରେ ବିତିଥିଲା ମୋ ପିଲାଦିନ। ତାହା ଥିଲା ମୋର ମାମୁ ଘର ଗାଆଁ। ମୋ ବୋଉ ଅସମୟରେ ସରଗର ତରା ହୋଇଗଲା ପରେ ଅଜା, ଆଈ, ମାମୁ, ମାଇଁ ଓ ମାଉସୀମାନଙ୍କ ମେଳରେ ସେମାନଙ୍କ ଶ୍ରଦ୍ଧା, ସ୍ନେହ ଓ ଭଲପାଇବାର ଶୀତଳ ଛୁଆଁରେ ବୋଉର ସ୍ମୃତି ମୋ ପାଇଁ ସମୟକ୍ରମେ ଝାପ୍ସା ହୋଇ ଆସିଲା। ମାମୁ ଘର ଥିଲା ମୋ ଜୀବନର ନନ୍ଦନବନ, ବସନ୍ତର କୁଞ୍ଜ କାନନ, ଶରତର କୁଆଁରୀ ଜହ୍ନ ପୁଣି ଗ୍ରୀଷ୍ମର ଶୀତ ଚନ୍ଦନ। ସେଇ ଗାଁ କଡ଼ରେ ଶୋଇଥିଲା ଏକ ସୁନ୍ଦର ନୀଳ-ସବୁଜ ପାହାଡ଼। ସେ ପାହାଡ଼ ଭିତରେ ଗୀତ ଗାଉଥିଲା ଝରଣା, ପକ୍ଷୀର କାକଳିରେ ଭରିଯାଉଥିଲା ସେ ଅରଣ୍ୟ। ମାମୁ ଘରେ ଥିଲା ମୋ ଆଈ ଯିଏ ରାତିରେ ଶୋଇଲା ବେଳେ ସାଉଁଳୁ ଥିଲା ମୋ ମଥାକୁ ଆଉ ପରୀ ଗପ କହୁଥିଲା, ଶୁଣାଉଥିଲା ନାନା ବାୟା ଗୀତ ମୋ ଆଖି ନିଦରେ ଖୁନ୍ଦି ହୋଇଯିବା ଯାଏଁ। ମୋ ପାଇଁ ପ୍ରତିଦିନ ରାନ୍ଧି ଦେଉଥିଲା ବଢ଼ାଭାତ। ଧୂଳିରେ ଖେଳି ଘରକୁ ଫେରିଲା ବେଳକୁ ଆଈ ତା’ ଶାଢ଼ୀ କାନିରେ ଝାଡ଼ି ଦେଉଥିଲା ମୋ ଦେହରୁ ଧୂଳି। ମାମୁ ମତେ କାନ୍ଧରେ ବସେଇ ନେଇ ଯାଉଥିଲେ କାଚକେନ୍ଦୁ ପାଣିରେ ଭରା ଧୀରସାହି ପୋଖରୀକୁ। ମତେ ଗାଧୋଇ ପାଧୋଇ ପୋଖରୀ କୂଳରେ ବସେଇଦେଇ ନିଜେ ପାଣିରେ ପଶୁଥିଲେ। ମୋର ସେତେବେଳେ ଷୋଳପଣ ଇଚ୍ଛା ପୋଖରୀ ମଝିରେ ଫୁଟିଥିବା ନୀଳକଇଁ ତୋଳିବା ପାଇଁ । ପହଁରା ନଜାଣି ପୋଖରୀର ଦୀପଦଣ୍ଡି ଛୁଇଁବା ପାଇଁ ମୁଁ ସ୍ୱପ୍ନ ଦେଖୁଥିଲି। ମାମୁ ମତେ ପିଲାଦିନେ ଚିହ୍ନେଇ ଦେଇଥିଲେ ତାଳ ଗଛ ଶୀର୍ଷରେ ଝୁଲୁଥିବା ବାୟା ଚଢ଼େଇର ବସା, ଗୁଞ୍ଜର ପୋକର ଚିକିମିକି ଦେହ, ପ୍ରଜାପତିର ଚିତ୍ରିତ ଡେଣା, ଗୁଣ୍ଡୁଚିମୂଷାର ପିଠିରେ ରାମଚନ୍ଦ୍ରଙ୍କର ଆଉଁଷା ତିନିଟି ଧଳା ଗାର, ନଈ ଘାଟ, ବିଲବଣ ଆଉ ତୋଟାମାଳ। ମାମୁ ଘର ଗାଁ କବିତାରେ ସେ ଗାଁ କଥା, ସେ ମାଟିରେ ଆତଯାତ ମଣିଷମାନଙ୍କ କଥା ରହିଛି। ଏବେ ସମୟ ବଦଳିଛି। ସମୟର ଝଡ ବଦଳେଇ ଦେଇଛି ସେ ଗାଁର ମାନଚିତ୍ର। ବଦଳିଛନ୍ତି ମଣିଷମାନେ। କେତେ ପାଣି ବୋହିଗଲାଣି ମାମୁ ଘର ଗାଁଠୁଁ କିଛି ଦୂରରେ ବହୁଥିବା ବୈତରଣୀ ନଈରେ। ବୈତରଣୀ କୂଳର ଇତିହାସ ଏବେ ସ୍ମୃତି। ମାମୁଘର ଗାଁ କବିତାଗୁଡ଼ିକରେ ମଧୁର, ବିଧୁର ସ୍ମୃତିଗୁଡ଼ିକର ରୋମନ୍ଥନ କରାଯାଇଛି।