Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
କଥାରେ ଅଛି 'ମଣିଷ ପରିସ୍ଥିତିର ଦାସ ।' ପରିସ୍ଥିତିକୁ ମୁକାବିଲା କରିବା ମଣିଷର କାମ । ପରିସ୍ଥିତି କେତେବେଳେ ନିଜ ଆୟତ୍ତରେ ରହେ ତ କେତେବେଳେ ଅଣଆୟତ୍ତ । କର୍ମ କରି ସୁଦ୍ଧା ପରିସ୍ଥିତି ବେଳେବେଳେ ଅଣଆୟତ୍ତକୁ ଚାଲିଯାଏ, ଯାହା କି ଆମେ ଭାଗ୍ୟ ବୋଲି କହିଥାଉ । ତେଣୁ ମୁଁ ଭାବେ ଜୀବନ ହେଉଛି କର୍ମ ଓ ଭାଗ୍ୟ ଭିତରେ ଚାଲିଥିବା ଏକ ଖେଳ । ଭାଗ୍ୟ ଯେ ସବୁବେଳେ ବିପରୀତ ହୁଏ ତା’ ନୁହଁ ବେଳେ ବେଳେ ଜଟିଳ ପରିସ୍ଥିତିରେ ଭାଗ୍ୟ ଅନୁକୂଳ ଅବସ୍ଥା ସୃଷ୍ଟି କରି ନିରାପଦ ଜାଗାକୁ ବାଟ କଢ଼େଇ ନିଏ । ସେମିତି ଅନେକ କିଛି ଘଟଣା ବି ମୋ ଜୀବନରେ ଘଟିଛି, କେତେବେଳେ ତାହା ଆୟତ୍ତରେ ରହିଛି, କେତେବେଳେ ପୁଣି ଅଣଆୟତ୍ତ । କର୍ମ ଓ ଭାଗ୍ୟର ସମିଶ୍ରଣରେ ’ସାପ ଓ ସିଡ଼ି’ ଖେଳ ଭଳି ଜୀବନ ଉତ୍ଥାନ ପତନ ଦେଇ ଗତି କରିଛି, ତେଣୁ ମୋ ଜୀବନ ଏକ ଊର୍ଦ୍ଧ୍ୱଗାମୀ ସରଳ ରେଖା ବୋଲି କହି ହେବନି, ବରଂ ଉତ୍ଥାନ ପତନ ସମ୍ବଳିତ ଏକ ବକ୍ରରେଖା । ଏହି ଉତ୍ଥାନ ପତନ ସହିତ ମୋର କେତେଜଣ ଶୁଭାକାଙ୍କ୍ଷୀ ଓ ଅନ୍ତରଙ୍ଗ ବନ୍ଧୁ ପରିଚିତ ଥିଲେ ହେଁ ଏହାକୁ ଲୋକଲୋଚନକୁ ଆଣିବାକୁ ଯାଇ ଏ ଲେଖାର ପ୍ରୟାସ ମାତ୍ର । ପ୍ରଥମରୁ ମୁଁ କହି ରଖେ ଏହା ଏକ ଆତ୍ମଜୀବନୀ ନୁହଁ । ଆତ୍ମଜୀବନୀ ଲେଖିବାର ଧୃଷ୍ଟତା ମୋର କରିବାର ନାହିଁ । ଜୀବନରେ ପାରିବାରିକ, ସାମାଜିକ ଓ ଅର୍ଥନୈତିକ ଝଡ଼ଝଞ୍ଜାକୁ ମୁଁ କିପରି ସାମନା କରିଛି ଓ ମୋର ପରିବାର ଲୋକେ କେମିତି ମୋ ସହିତ ସହଯୋଗ କରିଛନ୍ତି ସେଗୁଡ଼ିକ ଗଳ୍ପ ମାଧ୍ୟମରେ ଏଥିରେ ଲେଖି ଦେଇଛି । ଏ ପୁସ୍ତକରେ ଯାହା ସବୁ ଗଳ୍ପ ମାଧ୍ୟମରେ ଲେଖା ଯାଇଛି ଆଶା କରୁଛି ତାହା ମୋ ଜୀବନର ମୂଲ୍ୟବୋଧ ଯଥା ଜାତିପ୍ରଥା, ବିଭିନ୍ନ ଧର୍ମ ଉପରେ ମୋର ମତ, ସମାଜର ସବୁ ଶ୍ରେଣୀର ଲୋକଙ୍କ ସହିତ ମିଶ୍ରଣ, ନିଶାଦ୍ରବ୍ୟ ନିଷେଧ ଓ ନିଶା ନିବାରଣ, ସମାଜ ସେବା, ଯୌତୁକପ୍ରଥାର ବିରୋଧ, ବିବାହ ସମୟରେ ଅଯଥା ଅପବ୍ୟୟ ନକରିବା, କଳା, ସାହିତ୍ୟ ଓ ସଂସ୍କୃତି ଉପରେ ଆଗ୍ରହ ରଖିବା, ଏ ସବୁ ଉପରେ ଆଲୋକପାତ କରିବାକୁ ସକ୍ଷମ ହେବ । ଆଶାକରେ ଏହା ସହୃଦୟ ପାଠକ ଓ ପାଠିକାମାନଙ୍କର ପଠନଯୋଗ୍ୟ ହେବ । - ଡକ୍ଟର ଗଗନ ବିହାରୀ ପାଣିଗ୍ରାହୀ