Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ଚିତ୍ରମୋହ'ର ଅର୍କେଷ୍ଟ୍ରାରେ ବିବିଧ ମୂର୍ଚ୍ଛନା ଶୁଣିବାକୁ ମିଳିଲେ ମଧ୍ୟ ମୂଳ ସ୍ୱରଟି ଯେ ଏକ ବିଶେଷ କବିସତ୍ତାର ତାହା ବୁଝିବାରେ ଅସୁବିଧା ହୁଏନାହିଁ । ରାମଚନ୍ଦ୍ର ପଲାଇଙ୍କ ଲିଖିତ ଏହି କବିତାଗୁଡ଼ିକରେ କିଛି ଦେଖାଣିଆ ଢଙ୍ଗ ନାହିଁ, ଟାଣିଓଟାରି ଅଲଗା ହେବାର ଅପଚେଷ୍ଟା ନାହିଁ, କିମ୍ବା କୌଣସି ବୌଦ୍ଧିକ ଆଡ଼ମ୍ବରର ଆତସବାଜି ନାହିଁ । କବିତାଗୁଡ଼ିକ ସରଳ, ସ୍ୱଚ୍ଛ, ଅଥଚ ଅଭିନିବିଷ୍ଟ ପ୍ରତ୍ୟକ୍ଷଣକୁ ନେଇ ଗଭୀର, ଯେଉଁଥିରେ ନାଟକୀୟତା ନଥିବା ସାଧାରଣ ଅନୁଭୂତି ଏକ ଅସାଧାରଣ ଉପଲବ୍ଧିର ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛି । ଛୋଟ ଛୋଟ କଥା ବୋଲି ମନେ ହେଉଥିବା କେତେ ଅନୁଭୂତି କବିଙ୍କର କାବ୍ୟଶିଳ୍ପର ଛେଣିରେ ରୂପାନ୍ତରିତ ହୋଇ ଆଭରଣ ଆବଶ୍ୟକ କରୁନଥିବା ଭାଷାରେ ସୌଷ୍ଠବ ପାଇଛି । ଏଥିରେ କେତେଗୁଡ଼ିଏ କବିତା ଯଥା 'ରଙ୍କାଇ’ ଓ 'ଜେମାନାନୀ’ ପାଠକର ମନକୁ ଏମିତି ଏକ ଜାଗାକୁ ନେଇଯାଏ ଯେଉଁଠି କୌଣସି ବିଶ୍ଳେଷଣ ପାଇଁ ଇଚ୍ଛା ହୁଏ ନାହିଁ, କାରଣ ଓ ପରିଣାମର ସଂପର୍କ ବିଷୟରେ କିଛି ଭାବିହୁଏ ନାହିଁ, ଏମିତିକିପ୍ରଶ୍ନ ପଚାରିବାକୁ ମଧ୍ୟ ମନ ବଳେନାହିଁ - ପ୍ରତ୍ୟେକ ଭଲ କବିତାଟିଏ ପଢ଼ିଲା ପରେ ଏମିତି ଲାଗେ । ଏହା ସଚରାଚର ସ୍ୱୀକୃତ ଯେ ଏକ ଅସ୍ତିତ୍ୱଗତ ଅଭାବବୋଧରୁ କବିତା ଜନ୍ମ ନେଇଥାଏ; କିନ୍ତୁ ଏହା ମଧ୍ୟ ସତ ଯେ ତଦ୍ଜନିତ ବିଷାଦରେ କବି ଏକ ସମାନ୍ତରାଳ ବାସ୍ତବତା ସୃଷ୍ଟିକରିଥାଏ । ଯେହେତୁ କାବ୍ୟ ଏକ ସୃଜନ ବା ପୁନର୍ସୃଜନ, ଏହି କବିଙ୍କ ଭାଷାରେ- 'ଏବେ ମୁଁ ସ୍ପଷ୍ଟ ବାରିପାରୁଛି /ଗୋଟିଏ ଜନ୍ମ ଭିତରେ ବି ହୋଇପାରେ / ଏକାଧିକ ପୁନର୍ଜନ୍ମ / ସଂଘାତ ଓ ସର୍ଜନର ଔରସରୁ ’- ଏହା ସମ୍ଭାବନାମାନଙ୍କର ଅନନ୍ତ ଆବର୍ତ୍ତନର ପ୍ରତିଭୂ, କାରଣ: ଗୋଟିଏ ଜନ୍ମରେ କ ’ଣ କେବେ ମେଣ୍ଟିଯାଏ ପ୍ରାଣର ଶୋଷ? --- ଦିଲୀପ ନାୟକ