Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ହଁ, ଛାଇ ବି ସାଥି ହୋଇପାରେ କବିତା ଲେଖୁଥିବା ଜଣେ ନାରୀର। ଏକାଏକା ବସି ମନ କଥା କହି ହୁଏ ତାକୁ। ଚା’ ପିଇଲାବେଳେ ସାମ୍ନା ଚୌକିରେ ତାକୁ ବସେଇ ହୁଏ। ଏକାଠି ଶୁଣିହୁଏ ପୁରୁଣା ହିନ୍ଦୀ ସିନେମାର ବିରହ ଗୀତ। ବାଣ୍ଟିହୁଏ ମନ ତଳ ଗୋପନ କଥା। ରୁଣୁଝୁଣୁ ଖୁସିର ମୁହୂର୍ତ୍ତ। ଛାଇର ଛବିରେ ଦିଶେ ମୁହଁଟିଏ, ସେ ମୁହଁଟି କ’ଣ ମୋର? ଅନେକ ସମୟରେ ଯେଉଁ କଥା କହି ହୁଏନାହିଁ ତାକୁ ଲେଖି ଦେଇହୁଏ। ଫୁଲଦାନୀରେ ନିତି ସଜଫୁଲ ରଖିବା, ସେଦିନର ଆବଶ୍ୟକତାକୁ ଚାହିଁ ପୋଷାକ ବାଛିବା, ଗତାନୁଗତିକ କିଛି ଘରକାମ କି ବାହାରକୁ ଯିବାର ଆବଶ୍ୟକତା ପରି ହୁଏତ କବିତା ଲେଖିବା ବି ଏଡ଼େଇ ହେଉ ନଥିବା ଏକ ତୀବ୍ର ଓ ମଧୁର ପ୍ରଲୋଭନ। ଏମିତି ଘଟଣା ଆଉ ଦୁର୍ଘଟଣା ଭିତରେ ଦିନ ବିତେ। କେବେ ସୁନେଲୀ ସୂର୍ଯ୍ୟୋଦୟ ତ ଆଉ କେବେ ମଥା ଉପରେ ଯୁଦ୍ଧର କଳାବାଦଲ। ଏ ଭିତରେ ମୁଁ ରୋଷେଇ ଘରେ ନିୟମିତ ବ୍ୟବଧାନରେ ତିଆରେ ନୂଆ ରେସିପି, ଗୁଡ଼ ପାଗକରି ଆମ୍ବ କି କୋଳି ଆଚାର, ଝିଅ ପସନ୍ଦର କୁଲଡ୍ ବ୍ରୁ କଫି, ନେଟ୍ଫ୍ଲିକ୍ସରୁ ଦେଖେ ନିଷିଧ ପ୍ରେମର ରୋମାଞ୍ଚ, ମନ ପସନ୍ଦର ବହି ପଢ଼େ ଗଜଲ ଶୁଣେ, ଅନ୍ଲାଇନ୍ରୁ ଶାଢ଼ି କିଣେ, ଭଳିକି ଭଳି ପରଫ୍ୟୁମ୍, ଲିପ୍ଷ୍ଟିକ୍ ଓ ହ୍ୟାଣ୍ଡବ୍ୟାଗ୍ର ଭିଡ଼ ବଢ଼ାଏ, ଅଫିସ୍ ଯାଏ, ସଭାରେ ବକ୍ତାଙ୍କୁ ଶୁଣେ ପୁଣି କବିତା ଲେଖେ ଯେତେବେଳେ କବିତା ମୋତେ ଖୋଜେ। ଆଉ ଏସବୁ ଭିତରେ କେଉଁ ପାଠକ କି ଶୁଭେଚ୍ଛୁ ଚାହୁଁଥିବା ୨୦ କି ୨୫ ବର୍ଷ ତଳର କବିତାକୁ ଖୋଜିବସେ ତ ଅନେକ କବିତା ମିଳେନାହିଁ। ଆଉ ଯେବେ ସେଇ ପୁରୁଣା କବିତାରୁ କିଛି ମିଳିଯାଏ ତ ମୋତେ ଛାଇଟିଏ ଦିଶେ ଅନ୍ତରାଳରୁ। ସେ ମୋ ହାତ ଧରି ନେଇଯାଏ ବିତିଥିବା ସେଇ ଦିନମାନଙ୍କ ପାଖକୁ। ଯେଉଁଠୁ ହୁଏତ ଆରମ୍ଭ ହେଉଥିଲା ଖୋଲା ଆଖିରେ ସ୍ୱପ୍ନ ଦେଖିବା, ସମାନ୍ତରାଳ ଭାବରେ ଗୋଟେ ଜୀବନକୁ ଭେଟିବା ନିଜର ଶବ୍ଦପୁଞ୍ଜରେ। ସେସବୁ ଶବ୍ଦମାନେ, କବିତାମାନେ ହୁଏତ ପୁଣିଥରେ ଏକାଠି ହେବାର ସମୟ ଆସିଛି। କିଛି ପୁରୁଣା, କିଛି ଆପାତତଃ ନୂଆ କବିତା ମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରିଛି। ଆଶା କରୁଛି ମୋର ଶୁଭେଚ୍ଛୁ ଓ ପାଠକମାନେ ପୂର୍ବ ସଂକଳନଗୁଡ଼ିକ ପରି ଆଦର ଦେବେ। ଛାଇ ଆଢ଼ୁଆଳରୁ ଶୁଭଶ୍ରୀର ଛବି ଖୋଜିବେ |